କୁହାଯାଏ ବିବାହ ଭଗବାନଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । ସାତଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀରଖି ବିବାହ ବନ୍ଧନରେ ଆବଦ୍ଧ ହୋଇଥାଆନ୍ତି ସ୍ୱାମୀ-ସ୍ତ୍ରୀ । ଏହି ସମୟରେ ନବବିବାହିତାର ଆଖିରେ ଥାଏ ଆଖିଏ ସ୍ୱପ୍ନ । ଏହି ସ୍ୱପ୍ନମୁଠାକୁ ତୋଳିଧରି ଓ ଅନେକ ଆଶା ନେଇ ସେ ଶାଶୁଘରେ ପାଦ ଥାପେ । ବାପଘରକୁ ଭୁଲି ଶାଶୁ ଶ୍ୱଶୁରଙ୍କୁ ନିଜର ମା’ ବାପା ବୋଲି ଭାବେ । ହେଲେ ବେଳେ ବେଳେ ଆମେ ନିଆରା ଢଙ୍ଗରେ ବିବାହ ଦେଖିଥାଉ । ଏଭଳି ଏକ ଭିନ୍ନଧରଣର ବିବାହ ସମ୍ବଲପୁର ସହରର ଧନକଉଡ଼ାସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ହୋଇଛି । ହାତରେ ମେହେନ୍ଦି, ଆଖିରେ ଆଖିଏ ସ୍ୱପ୍ନ ନେଇ ଶିଶୁଯତ୍ନ କେନ୍ଦ୍ରରୁ ଶାଶୁଘରକୁ ଯାଇଛନ୍ତି ପୂଜା । ଧନକଉଡା ଅନାଥ ଆଶ୍ରମରେ ରହୁଥିବା ପୂଜା ପିଲାଟିବେଳୁ ଆଶ୍ରମରେ ରହି ଛୋଟରୁ ବଡ ହୋଇଛନ୍ତି । ପରେ ସେ ବିବାହଯୋଗ୍ୟ ହେବା ପରେ ହଠାତ୍ ତାଙ୍କ ପାଖକୁ ବରଗଡ ବରପାଲିସ୍ଥିତ ପଣ୍ଡା ପରିବାରରୁ ଆସିଥିଲା ବିବାହ ପ୍ରସ୍ତାବ ।

