ଦେଶର ବ୍ରାହ୍ମଣଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଆରଜେଡିର ପୂର୍ବତନ ବିଧାୟକ ଯଦୁବଂଶ କୁମାର ଯାଦବ । ବ୍ରାହ୍ମଣ ମୂଳ ରୂପେ ଭାରତର ନୁହଁନ୍ତି, ଏଣୁ ସେମାନଙ୍କୁ ଦେଶରୁ ତୁରନ୍ତ ତଡ଼ିଦେବା ଉଚିତ୍ ବୋଲି କହିଛନ୍ତି ଯଦୁବଂଶ । କାରଣ ସବୁ ବ୍ରାହ୍ମଣ ଋଷରୁ ପଳାୟନ କରି ଭାରତ ଆସିଛନ୍ତି । ଆରଜେଡି ରାଷ୍ଟ୍ରିୟ ସଚିବଙ୍କ ଏଭଳି ବୟାନ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।


ସୁପୌଲରେ ପାର୍ଟି କର୍ମୀଙ୍କ ବୈଠକକୁ ସମ୍ବୋଧିତ କରିବା ବେଳେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଯଦୁବଂଶ ଯାଦବ । ବୈଠକରେ ଆରଜେଡିର ପୂର୍ବତନ ବିଧାୟକ କହିଛନ୍ତି, ବ୍ରାହ୍ମଣ ମୂଳତଃ ଋଷ ଏବଂ ଅନ୍ୟ ୟୁରୋପୀୟ ଦେଶର ଅଧିବାସୀ । ସେମାନେ ଦୀର୍ଘବର୍ଷରୁ ଭାରତରେ ଆସି ରହିଗଲେଣି । ହେଲେ ଯାଦବ ସମାଜ ମୂଳ ରୂପେ ଭାରତର ବାସିନ୍ଦା ବୋଲି କହିଛନ୍ତି ଯଦୁବଂଶ । ସେହିପରି ଡିଏନଏ ଯାଞ୍ଚ୍ ରୁ ଜଣାପଡିଛି କୌଣସି ବ୍ରାହ୍ମଣ ଏହି ଦେଶର ନୁହଁନ୍ତି ସେମାନେ ଋଷ ଏବଂ ଅନ୍ୟ ୟୁରୋପୀୟ ଦେଶର ନାଗରିକ । ବ୍ରାହ୍ମଣ ଆମକୁ ବିଭାଜିତ କରିବା ସହ ଶାସନ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଦେଶରୁ ତଡିଦେବା ଉଚିତ୍ ବୋଲି କହିଛନ୍ତି ଯଦୁବଂଶ ଯାଦବ ।


ଆରଜେଡି ନେତାଙ୍କ ଏହି ବିବାଦୀୟ ବୟାନ ପରେ ମହାମେଣ୍ଟରେ ଥିବା ତାଙ୍କ ସହଯୋଗୀ ଜେଡିୟୁ ନିଜର ପ୍ରତିକ୍ରିୟା ରଖିଛି । ଜେଡିୟୁ ମୁଖପାତ୍ର ଅଭିଷେକ କୁମାର ଝା’ କହିଛନ୍ତି ଆରଜେଡି ନେତା ମିଡିଆରେ ରହିବା ପାଇଁ ଏଭଳି ବୟାନବାଜି କରିଛନ୍ତି । ପର୍ଶୁରାମ କ’ଣ ଋଷରୁ ଆସିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଣୁ ଆରଜେଡି ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି ଅଭିଷେକ । ସେହିପରି ବିଜେପି ବିଧାୟକ ନୀରଜ ବବଲୁ କହିଛନ୍ତି, ଲାଗୁଛି ଆରଜେଡି ନେତାଙ୍କ ମାନଶିକ ସ୍ଥିତି ଭଲ ନାହିଁ ।
