ମୁଁ ମୁଖ୍ୟମନ୍ତ୍ରୀ ହେଲେ ଅମୂଲ କ୍ଷୀର କିଣିବାକୁ ଲୋକଙ୍କୁ ମନା କରିବି । ଏଭଳି ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା । ଗୁଜୁରାଟର ଦୁଗ୍ଧଜାତ ସାମଗ୍ରୀ ସମବାୟ ଅମୂଲ ଓ କର୍ଣ୍ଣାଟକର ‘ନନ୍ଦିନୀ’ର ସମ୍ମିଶ୍ରଣ ସମ୍ଭାବନାକୁ ଅଗ୍ରାହ୍ୟ କରି ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି, କେ. ସିଦ୍ଧରମେୟା । ଏହାସହ ସିଦ୍ଧରମେୟା କହିଛନ୍ତି, ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ଅମୂଲ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବେ ।

ଆଜି ‘ଇଣ୍ଡିଆ ଟୁଡେ କର୍ଣ୍ଣାଟକ ରାଉଣ୍ଡଟେବଲ-୨୦୨୩’ରେ ଯୋଗଦେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ଅମୂଲ ତା’ର ସାମ୍ପ୍ରତିକ ଗ୍ରାହକଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ୍ । କର୍ଣ୍ଣାଟକରେ ପ୍ରବେଶ କରି ସେ ଆଞ୍ଚଳିକ ଚାଷୀଙ୍କ ପ୍ରତି ଅନ୍ୟାୟ କରିବାକୁ ଉଦ୍ୟମ କରୁଛି । ସେଥିପାଇଁ ଲୋକେ ଅମୂଲର ଆଗମନକୁ ବିରୋଧ କରୁଛନ୍ତି । ଏପରିକ୍ଷେତ୍ରରେ ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅମୂଲ ଦୁଗ୍ଧ ନ କିଣିବାକୁ ଲୋକଙ୍କୁ କହିବେ ।

ବିରୋଧୀଙ୍କ ବିରୋଧ ବଜାର ବିରୋଧୀ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ସିଦ୍ଧରମେୟା । କୃତ୍ରିମ ଚାହିଦା ସୃଷ୍ଟି କରିବା ଭଲନୁହେଁ । ମାନ ଦୃଷ୍ଟିରୁ ‘ନନ୍ଦିନୀ’ ‘ଅମୂଲ’ ସମକକ୍ଷ । ତେଣୁ ‘ନନ୍ଦିନୀ’ ବ୍ୟବସାୟରେ ‘ଅମୂଲ’ ହସ୍ତକ୍ଷେପ କରିବା ଅନୁଚିତ୍ ।
