ଉତ୍ତର ପ୍ରଦେଶର ଗାଜିପୁର ବିଧାୟକ ମୁଖତାର ଅନସାରୀକୁ ୧୦ବର୍ଷ ଜେଲ । ଗ୍ୟାଙ୍ଗଷ୍ଟର ଆକ୍ଟ କେସରେ ୟୁପିର ଏମପି-ଏମଏଲଏ କୋର୍ଟ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁଖତାରକୁ ଜେଲ ସହ ୫ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୟୁପିର ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖତାର ଏବେ ବାନ୍ଦା ଜେଲରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଆଜି ତା’ର ଶୁଣାଣୀ କରିଥିଲେ କୋର୍ଟ । ପରେ ତା’କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏମପି-ଏମଏଲଏ କୋର୍ଟ ।

ସୂଚନା ମୁତାବକ ଗତ ୨୦୦୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା । ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ଜଣଙ୍କୁ ଏକାବେଳେ ହତ୍ୟା କରାଯାଇଥିଲା । ପରେ ମୁଖତାରର ଭାଇ ତଥା ଏମପି ଅଫଜଲ ଅନସାରୀ ଓ ମୁଖତାର ଅନସାରୀକୁ ଏହି ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ୨୦୦୭ରେ ଗିରଫ କରିଥିଲା ୟୁପି ପୋଲିସ । ୟୁପି ପୋଲିସର କହିବା ମୁତାବକ ଗତ ୨୦୦୫ ଜୁନ୍ ୨୯ରେ ତତ୍କାଳୀନ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିଲେ । ଏହି ଗୁଳିକାଣ୍ଡରେ ମୋଟ୍ ୪ଶହ ରାଉଣ୍ଡ୍ ଫାୟାର କରିଥିଲେ ଦୁର୍ବୁତ୍ତ । ପରେ କୃଷ୍ଣାନନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତାଙ୍କ ଶରୀରରୁ ମୋଟ୍ ୬୭ଟି ଗୁଳି ବାହାର କରିଥିଲେ ଡାକ୍ତର । ଏହି ଘଟଣାରେ ମାଷ୍ଟରମାଇଣ୍ଡ୍ ଥିବା ଉଭୟ ମୁଖତାର ଓ ଅଫଜଲ ସାରୀ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଗିରଫ କରିଥିଲା ୟୁପି ପୋଲିସ ।
