ପୁଣି ବାତ୍ୟା ଆଶଙ୍କା । ବାତ୍ୟା ଆଶଙ୍କାରେ ଆତଙ୍କିତ ଓଡ଼ିଶାବାସୀ । ସମ୍ଭାବ୍ୟ ବାତ୍ୟାର ନାଁ ରଖାଯାଇଛି ସାଚ୍ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟାକୁ ସହ ଗ୍ରୀଷ୍ମଋତୁର ସ୍ଥିତି ଜଟିଳ ହୋଇଛି । ଏଣୁ ପ୍ରଶାସନକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।


ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ଗ୍ରୀଷ୍ମଋତୁରେ ଯେଉଁ ବାତ୍ୟା ଆସେ ତା’ର ଆକଳନ କରିବା ଅତ୍ୟନ୍ତ ମୁସ୍କିଲ୍ । ଗତ ୨୦୧୯ରେ ‘ଫନି’ ସମଗ୍ର ରାଜ୍ୟରେ ପ୍ରଳୟ ରଚିଥିଲା । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ସମଗ୍ର ଓଡ଼ିଶା । ଏଣୁ ଫନି ଭଳି ଅଚାନକ ବାତ୍ୟା ଆସିବାର ସମ୍ଭାବନା ଥିବାରୁ ଏହାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତ ହେଲେଣି ସମସ୍ତ ଜରୁରୀ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ୍ । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହ ଏନଡିଆରଏଫ୍, ଓଡ଼୍ରାଫ୍ ଓ ଅଗ୍ନିଶମ ସେବା ସଂସ୍ଥାକୁ ଆଗୁଆ ସଜାଗ ରହିବାକୁ ମିଳିଛି ନିର୍ଦ୍ଦେଶ । ସେହିପରି ଉପକୂଳ ଓ ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

