ପୁଣେରେ ଚାଲିଥିବା ଏ.ଆର. ରେହେମାନଙ୍କ ଲାଇଭ୍ ସୋ’କୁ ଅଧାରୁ ବନ୍ଦ କରିଛି ପୋଲିସ । ହେଲେ ଆୟୋଜକ କିମ୍ବା ଅନ୍ୟ କୌଣସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି ।
ରେହେମାନଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ଲାଇଭ୍ ସୋ’କୁ କାହିଁକି ଅଧାରୁ ବନ୍ଦ କଲା ପୋଲିସ ସେ ନେଇ ଉଠିଛି ପ୍ରଶ୍ନ । ରିପୋର୍ଟ ଅନୁଯାୟୀ, କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ମିଳିଥିଲା ଅନୁମତି । ହେଲେ ଏ ସମ୍ପର୍କରେ ଆୟୋଜକ ଅବଗତ ନଥିଲେ ।

ପୂର୍ବ ନିର୍ଦ୍ଧାରିତ ସମୟରେ ସାମାନ୍ୟ ବିଳମ୍ବ ହେବାରୁ ରେହେମାନଙ୍କ ଲାଇଭ୍ ସୋ’କୁ ଅଧାରୁ ବନ୍ଦ କରାଯାଇଥିବା ଜଣାପଡ଼ିଛି । ଷ୍ଟେଜରେ ଶେଷ ସଙ୍ଗୀତ ପରିବେଷଣ କରିବା ବେଳେ ୧୦ଟା ସମୟ ଅତିକ୍ରମ କରିଥିଲା । ଏଣୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିବା ପରେ ବନ୍ଦ ହୋଇଥିଲା ଲାଇଭ୍ ସୋ’ । ରେହେମାନ ମଧ୍ୟ ସଙ୍ଗୀତ ପରିବେଷଣ ବନ୍ଦ କରି ଷ୍ଟେଜ୍ ଛାଡିଥିଲେ । ସବୁ ଦର୍ଶକଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା ପୋଲିସ ।
