ଏ ବିଶ୍ୱ ବଡ଼ ବିଚିତ୍ର । ତା’ଠାରୁ ବଡ଼ ବିଚିତ୍ର ଏଠି ବାସ କରୁଥିବା ମଣିଷ । ପ୍ରତ୍ୟେକ ମଣିଷର ସଉକ ମଧ୍ୟ ଭିନ୍ନ ଭିନ୍ନ । କିଛି ଲୋକ ନିଜ ସଉକକୁ ପୂରଣ କରିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ବି ପଛାନ୍ତିନି । ଜାପାନର ଏମିତି ଜଣେ ଯୁବକ ନିଜ ସଉକ ପୂରଣ କରିବାକୁ ଯାଇ ମଣିଷରୁ କୁକୁର ବନିଛନ୍ତି । ଏଥିଲାଗି ସେ ଖର୍ଚ୍ଚ କରିଛନ୍ତି ୧୨ଲକ୍ଷ ଟଙ୍କା । ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜାପାନର ଟୋକୋ ନାମକ ଜଣେ ଯୁବକ ପିଲାଟିବେଳୁ କୁକୁରଙ୍କୁ ବହୁତ ଭଲ ପାଆନ୍ତି । ଏତେ ଭଲ ପାଉଥିଲେ ଯେ, ପିଲାବେଳେ କୁକୁର ଖେଳନା ସହ ଖେଳିବାକୁ ଖୁବ୍ ପସନ୍ଦ ବି କରୁଥିଲେ ।

ବାଟରେ କୁକୁରଟିଏ ଦେଖିଲେ ତା’ ପଛରେ ପଡିଯାଉଥିଲେ । କୁକୁର ପ୍ରତି ଏତେ ଦୁର୍ବଳତା ଯେ, ନିଜକୁ ସବୁବେଳେ କୁକୁର ପରି ଦେଖିବାକୁ ସ୍ୱପ୍ନ ବି ଦେଖନ୍ତି । ଏବେ ସେ ନିଜର ଏହି ସ୍ୱପ୍ନ ପୂରଣ କରିବାକୁ ଯାଇ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ନିଜର ପ୍ରିୟ ପ୍ରଜାତିର କୁକୁର ଭଳି ଦେଖାଯିବାକୁ ସେ ଏକ ପୋଷାକ ମଧ୍ୟ ତିଆରି କରିଛନ୍ତି । ଏହି ପୋଷାକ ତିଆରି କରିବାକୁ ୪୦ଦିନ ସମୟ ଲାଗିଥିଲା । ଏହାଛଡ଼ା ସେ କୁକୁର ଭଳି ଖାଇବା ଏବଂ ଖେଳିବା ଆଚରଣ ମଧ୍ୟ ଦେଖାନ୍ତି । ଏହି ପୋଷାକ ପିନ୍ଧି ଯେତେବେଳେ ସେ କୁକୁର ରୂପରେ ସମସ୍ତଙ୍କ ସାମ୍ନାକୁ ଆସିଲେ, ଲୋକେ ତାଙ୍କୁ ଦେଖି ହୋଇଯାଇଥିଲେ ଅବାକ୍ ।
