Home Politics ଅଧା ସାଂସଦଙ୍କ କଟିବ ଟିକେଟ୍

ଅଧା ସାଂସଦଙ୍କ କଟିବ ଟିକେଟ୍

by Admin
0 comment

୨୦୨୪ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ । ଆରମ୍ଭ ହୋଇଗଲାଣି ଅଙ୍କକଷା । ନିର୍ବାଚନ ପାଇଁ ଏବେଠୁ ବଡ଼ ତୟାରୀ କଲାଣି ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡ଼ି । ହେଲେ ଆସନ୍ତା ନିର୍ବାଚନରେ କାହାର ଟିକେଟ୍ କଟିବ କିଏ ପାଇବେ ଆଉ କେଉଁ ନୂଆ ଚେହେରା ସାମିଲ ହେବେ । ଏହାକୁ ନେଇ ଶାସକ ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଛି ସର୍ଭେ । ହେଲେ ଚଳିତ ନିର୍ବାଚନରେ ୫୦ପ୍ରତିଶତ ପ୍ରାର୍ଥୀଙ୍କ ଟିକେଟ୍ କଟିବା ଥୟ ,

୨୦୧୯ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇଥିବା ଅଧା ପ୍ରାର୍ଥୀଙ୍କ ଟିକେଟ୍ କଟିବ ବୋଲି ଏବେ ବିଜେଡ଼ିର ଅନ୍ଦରମହଲରେ ଜୋରଦାର ଚର୍ଚ୍ଚା ହେଉଛି । ୨୦୧୯ରେ ବିଜେଡ଼ିର ୧୨ଜଣ ନେତା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଆସ୍କା ଓ ବ୍ରହ୍ମପୁରରେ ବାଜିମାତ୍ କରିଥିଲା ବିଜୁ ଜନତା ଦଳ । ତେବେ ୨୦୨୪ରେ କିନ୍ତୁ ଅଧା ସାଂସଦଙ୍କ ଟିକେଟ୍ କଟିବା ଏକପ୍ରକାର ନିଶ୍ଚିତ ।

୨୦୧୯ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭଳି ହେଭିୱେଟ୍ ନେତାଙ୍କୁ ସେ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ପରେ ନବୀନଙ୍କ ବେଶ ପ୍ରିୟ ବନିଯାଇଥିଲେ ଅନୁଭବ । ହେଲେ ଏବେ ସେ ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ଆରମ୍ଭ ହେବାପରଠାରୁ ବିଜେଡ଼ିରେ ଏବେ କୋଣଠେଣା । ତେଣୁ ତାଙ୍କର ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ । ସେହିପରି ବିଜେଡ଼ିର ଆଉଜଣେ ହେଭିୱେଟ୍ ନେତା ହେଉଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

୨୦୧୯ରେ ସେ ମାତ୍ର ୧୧ହଜାର ଭୋଟରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସମ୍ବିତ୍ ପାତ୍ରଙ୍କୁ ପରାସ୍ତ କରିଥିଲେ । ମାତ୍ର ନିର୍ବାଚନରେ ବିଜୟଲାଭ ପରଠାରୁ ଆଉ ତାଙ୍କୁ ପୁରୀ ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳୁନି ବୋଲି ଅଭିଯୋଗ ହେଉଛି । ଏପରି କି ସେ ଆସନ୍ତା ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଲୋକସଭା ବଦଳରେ ରାଜ୍ୟସଭା ସାଂସଦ ହେବା ପାଇଁ ମନ ବଳାଇଲେଣି ପିନାକୀ ମିଶ୍ର । ସେହିପରି ଏବେ ଢେଙ୍କାନାଳ ସାଂସଦ ଅଛନ୍ତି ମହେଶ ସାହୁ । ଗତ ନିର୍ବାଚନରେ ସେ ୩୫ହଜାର ଭୋଟରେ ବିଜୟୀ ହୋଇଥିଲେ । ଜଣେ ଦୃଢ ସଙ୍ଗଠକ ଭାବେ ତାଙ୍କର କ୍ଷାତି ମଧ୍ୟ ରହିଛି ।

ହେଲେ ସେ ଏବେ ନିଜ ସଂସଦୀୟ କ୍ଷେତ୍ରର ଅଧିକାଂଶ ବିଧାୟକଙ୍କ ବିରୋଧୀ ପାଲଟିଗଲେଣି । ତେଣୁ ତାଙ୍କୁ ମଧ୍ୟ ବିଜେଡ଼ି ଆଉ ଟିକେଟ୍ ଦେଇ ରିସ୍କ ନେବନି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ବି ୨୦୨୪ରେ ଟିକେଟ୍ ମିଳିନପାରେ । ତାଙ୍କ ବଦଳରେ ପ୍ରଦୀପ ମାଝୀ ସାଂସଦ ପ୍ରାର୍ଥୀ ପାର୍ଥୀ କରିପାରେ ଦଳ । ଏମିତିରେ ବି ରମେଶ ନିଜର ଅନିଚ୍ଛା ସତ୍ୱେ ୨୦୧୯ରେ ଲୋକସଭା ନିର୍ବାଚନ ଲଢିଥିଲେ । ବିଧାୟକ ହୋଇ ରମେଶ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ନବରଙ୍ଗପୁରରେ ଜୋରଦାର ଚର୍ଚ୍ଚା ହେଉଛି । ସେହିପରି ପ୍ରମିଳା ବିଷୋଇଙ୍କ ଭଳି ଜଣେ ସାଧାରଣ ମହିଳାଙ୍କୁ ଆସ୍କା ସାଂସଦ ଟିକେଟ୍ ଦେଇ ଚମକାଇ ଦେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂସଦରେ ବି ପ୍ରମିଳାଙ୍କୁ ବେଶ୍ ପ୍ରଶଂସା କରାଯାଉଛି ।

ତେବେ ୨୦୨୪ରେ ତାଙ୍କୁ ବିଜେଡ଼ି ରିପିଟ୍ କରିବାକୁ ଚାହୁଁନଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ବଦଳରେ ଦଳ ଆଉଜଣେ ନାରୀ ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଏଣୁ ଏବେ କେନ୍ଦ୍ରାପଡ଼ା, ପୁରୀ, ଢେଙ୍କାନାଳ, ନବରଙ୍ଗପୁର ଓ ଆସ୍କା ସାଂସଦଙ୍କ ଟିକେଟ୍ କଟିବା ନେଇ ଚର୍ଚା ହେଉଛି । ଏହାସହିତ ମଧ୍ୟ ଆଉ କେତେକ ସାଂସଦଙ୍କ ଉପରେ ଝୁଲୁଛି ଖଣ୍ଡା । ଭଦ୍ରକ ସାଂସଦ ଥିବା ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ମୁକ୍ତିକାନ୍ତ ଧାମନଗରରୁ ନିର୍ବାଚନ ଲଢନ୍ତି ତେବେ ମଞ୍ଜୁଲତାଙ୍କ ଟିକେଟ୍ କଟିବା ନିଶ୍ଚିତ । ସେହିପରି କଟକ ସାଂସଦ ଭତୃହରି ମହତାବଙ୍କ ଟିକେଟ କଟିବା ଏକପ୍ରକାର ନିଶ୍ଚିତ । ଏପରି କି ଗତ ୨୦୧୯ରେ ବି ତାଙ୍କୁ ଟିକେଟ୍ ମିଳିବନି ବୋଲି ଚର୍ଚ୍ଚା ହେଉଥିଲା ।

ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ତିର୍ତୋଲରୁ ନିର୍ବାଚନ ଲଢିବାକୁ ଚାହୁଁଥିବାରୁ ଜଗତସିଂହପୁରରେ ବି ପ୍ରାର୍ଥୀ ପରିବର୍ତନ କରିପାରେ ବିଜେଡ଼ି । ସେହିପରି ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଅଧା ସାଂସଦଙ୍କ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ । ବିଶେଷକରି ୨୦୨୪ରେ ନବୀନ ଅନେକ ନବାଗତଙ୍କୁ ସାଂସଦ ଟିକେଟ୍ ଦେବେ ବୋଲି ବିଜେଡ଼ି ଅନ୍ଦରମହଲରେ ଚର୍ଚ୍ଚା ଜୋର ଧରିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc