ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଏବେ ବେଶ୍ ଚଳଚଂଚଳ ହୋଇଉଠିଛି ଝାରସୁଗୁଡା ରାଜନୀତି । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । ହେଲେ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି ଶାସକ ବିଜେଡ଼ି । ଏଠାରେ କିଏ ପାଇବ ବିଜେଡି ଟିକଟ୍ । ବିଜେଡ଼ି ସୁପ୍ରିମୋ କାହାମୁଣ୍ଡରେ ସୁନାକଳସ ଢାଳିବେ ତା’କୁ ନେଇ ଚାଳିଛି ଚର୍ଚ୍ଚା । ଝିଅ ଦୀପାଳୀ ନା ବୋହୂ ଚାର୍ଭି କାହା ଉପରେ ନବୀନ ଭରସା କରିବେ ତା’କୁ ନେଇ ଆରମ୍ଭ ହୋଇଛି ତର୍ଜ୍ଜମା । ଏବେ ରାଜନୈତୀକ ଲଢେଇ ତୀବ୍ର ହେବାରେ ଲାଗିଛି । ଏହାରିଭିତରେ ଝିଅ ଦୀପାଳୀ ଦାସ ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି । ମହିଳା ଦିବସ ପାଳନ, ଲଇକେରା ମିନି ଷ୍ଟାଡିୟମ ଓ ଝାରସୁଗୁଡା କଂଟାପାଲି ଖେଳପଡ଼ିଆରେ ବିରାଟ ସମାବେଶରୁ ପ୍ରଚାର କଥା ସ୍ପଷ୍ଟ ବାରି ହୋଇପଡୁଛି । ସମାବେଶରେ ହଜାର ହଜାର ମହିଳା ସାମିଲ ହୋଇଥିଲେ ।
ଏପରି କି ସେଠାରେ ଏକ ରୋଚକ ଦୃଶ୍ୟ ବି ଦେଖିବାକୁ ମିଳିଥିଲା । କାରଣ ଏହି ସଭାରେ ସାମିଲ ହୋଇଥିଲେ ନବଙ୍କ ବାହୂ ଚାର୍ଭି । ନବ ଦାସଙ୍କ ବୋହୂ ଓ ବିଶାଲ ଦାସଙ୍କ ପତ୍ନୀ ଚାର୍ଭି ଦାସ ମଧ୍ୟ ସେଥିରେ ଯୋଗଦେଇଥିଲେ । ପୂର୍ବରୁ କେବେ ଗଣମାଧ୍ୟମ ସାମ୍ନାକୁ ଆସିନଥିବା ନବ ଦାସଙ୍କ ବୋହୂ ଓ ଦୀପାଳୀ ଗଣମାଧ୍ୟମ ସାମ୍ନାକୁ ବାରମ୍ବାର ଆସିଛନ୍ତି । ଏପରି କି ଉଭୟଙ୍କୁ ଏକାମଂଚରେ ବି ଦେଖିବାକୁ ମିଳିଛି । ତେଣୁ ଆସନ୍ତା ଉପନିର୍ବାଚନରେ ନବଙ୍କ ପୁଅ ବିଶାଲ ନା ଝିଅ ଦୀପାଳୀ କାହା ଉପରେ ବିଜୁ ଜନତା ଦଳ ଭରସା କରିବ ତା’କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ହଠାତ୍ ନବଙ୍କ ବୋହୂ କ୍ୟାମେରା ସାମ୍ନାକୁ ଆସିବା ଆଉ ଦୀପାଳିକୁ ବାପା ଚାହୁଁଥିଲେ ନେତୃତ୍ୱ ନେବା ବୋଲି କହିବା ଏବେ ଅନ୍ୟଏକ ଦିଗକୁ ସୂଚାଉଥିବା ଆଲୋଚନା ହେଉଛି । ତେବେ ଉପନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ଦୀପାଳି ଆରମ୍ଭ କରିଥିବା ଅଘୋଷିତ ନିର୍ବାଚନ ପ୍ରଚାର ଆଗକୁ ଫାଇଦା ଦେବ ବୋଲି ଆଲୋଚନା ହେଉଛି ।